Unknown

 

 

 

 

 

 

 

 

 

 

 

 

ଅବିଶାଗ

ବ୍ରହ୍ମାନନ୍ଦ ଦାସ

 

 

 

 

 

 

 

 

 

 

 

 

ମୋର ସ୍ନେହମୟୀ ମା'ଙ୍କର ହାତରେ..............

 

ବ୍ରହ୍ମାନନ୍ଦ

 

ସୂଚୀପତ୍ର

 

୧.

କେନ୍ଦରା

୨.

ସାମାନ୍ୟ କଥନ : ମୃତ୍ୟୁର

୩.

ମହିଷାସୁର

୪.

ବିଦ୍ରୋହ

୫.

ମୁଁ ଶବ କହୁଛି କଥା

୬.

ଉତ୍ସର୍ଗ

୭.

ଅବିଶାଗ

୮.

ପ୍ରତୀକ୍ଷା

୯.

ସିଡ଼ି

୧୦.

ନରକରୁ

୧୧.

ଆତ୍ମହତ୍ୟା ସମ୍ପର୍କରେ

୧୨.

ସ୍ମୃତି ଓ ସତ୍ୟ

୧୩.

ବନ୍ଦାଣ

୧୪.

ମୁଁ ଚାହୁଁଛି

୧୫.

ଆତ୍ମଗୀତି

୧୬.

କେତେଦିନ ପରେ

୧୭.

ଚଉପଦୀ

୧୮.

ନୌକା ବିହାର

୧୯.

ନୂତନ ସ୍ୱର

୨୦.

କୋକିଳ ପ୍ରତି

୨୧.

ଆଶ୍ଳେଷ

୨୨.

ଏକ ମୁହୂର୍ତ୍ତର ସଂଚୀତ

୨୩.

ଆଲୋକର ସଂଗୀତ

୨୪.

ବର୍ଷା

୨୫.

ରୂପାନ୍ତର

୨୬.

ଅବଗାହନ

୨୭.

ଅଣବାହୁଡ଼ା ପ୍ରତି

୨୮.

ଲେଉଟାଣି ଲୁହଲେଖ

୨୯.

ଏକାକୀ

୩୦.

ପୁନରୁତ୍‍ଥାନ ପରେ

୩୧.

ମୃତ୍ୟୁପରେ

୩୨.

ସକାଳ

Image

 

ଅବିଶାଗର ପରିଚୟ

 

ସେ ଇହୁଦୀ ଇତିହାସର ଏକ ଅବିସ୍ମରଣୀୟା ନାରୀ । ମହାନ୍ ରାଜା ଦାଉଦ ଯେତେବେଳେ ଜରାଜୀର୍ଣ୍ଣ ହୋଇପଡ଼ିଲେ ତାଙ୍କର ଅପହୃତ ସମସ୍ତ ଜୀବନୋଚ୍ଛ୍ୱାସ, ଶକ୍ତି ଓ ଉତ୍ତାପ ଫେରାଇ ଆଣିବା ପାଇଁ ସେ ଦେଶର ଲୋକମାନେ ସମଗ୍ର ଇଶ୍ରାଏଲ ଜାତିରୁ ବହୁ ଅନ୍ୱେଷଣ କରି ପରମା ସୁନ୍ଦରୀ ଅବିଶାଗକୁ ରାଜାଙ୍କର ପରିଚର୍ଯ୍ୟା ପାଇଁ ନିଯୋଗ କରିଥିଲେ ।

 

ଆମର ପୃଥିବୀ ଆଜି ରାଜା ଦାଉଦଙ୍କ ଭଳି ମହାନ୍ ଅଥଚ ଜରାଜୀର୍ଣ୍ଣ । ସେଥିରେ ନୂତନ ଜୀବନୋଚ୍ଛ୍ୱାସ, ଶକ୍ତି ଓ ଉତ୍ତାପ ଜାଗ୍ରତ କରିବା ପାଇଁ ଏ ଅବିଶାଗ, କାବ୍ୟ ଚେତନାର ପରିଚର୍ଯ୍ୟା ନିତାନ୍ତ ଆବଶ୍ୟକ ।

 

ଅବିଶାଗ ସଂପର୍କରେ ଅଧିକ ଜାଣିବା ପାଇଁ Old Testament ଅନ୍ତର୍ଗତ Kings-I ଗ୍ରନ୍ଥର ପ୍ରଥମ ଅଧ୍ୟାୟ ପଠିତବ୍ୟ ।

Image

 

କୃତଜ୍ଞ ସେମାନଙ୍କଠାରେ

 

ଶିଳ୍ପୀ ଶ୍ରୀ ଉଦୟ ନାରାୟଣ ଜେନା, ଯିଏ ମୋର କାବ୍ୟିକ ସ୍ୱରକୁ ଦୀପ୍ତରୂପ ଦେଇଛନ୍ତି ପ୍ରଚ୍ଛଦ ଚିତ୍ର ମଧ୍ୟରେ ।

 

ଶ୍ରାବଣୀ ସାହିତ୍ୟ ସଂସଦର ସଭ୍ୟ, ମୋର ଅଧ୍ୟାପକ ବନ୍ଧୁ ଓ ଛାତ୍ରଛାତ୍ରୀ, ଯେଉଁମାନଙ୍କର ସ୍ନେହ ଓ ଶୁଭେଚ୍ଛାରେ ମୋ’ ଜୀବନ ପୁଲକିତ ।

 

–ପ୍ରଣେତା

Image

 

କେନ୍ଦରା

 

ଜ୍ୱଳନ୍ତ ମଧ୍ୟାହ୍ନ ଆଜି ଆକାଶେ ବତାସେ

ସୂର୍ଯ୍ୟର ନିଶ୍ଵାସେ

ଘାସ ନାହିଁ, ପୋଡ଼ା ଭୂଇଁ, ପ୍ରାନ୍ତରର ବୁକେ

ଝରିପଡ଼େ ରଙ୍ଗହରା କୃଷ୍ଣଚୂଡ଼ା ଲୁହ ।

ଗାରଗାର ଶସ୍ୟହୀନ ଆଖି ଅପହୁଞ୍ଚ

କେଦାରେ ଉଠଇ ଝଡ଼ ଖଣ୍ଡିଆ ଭୂତର ।

 

ସେ ଅଦ୍ଭୁତ ଝଡ଼ ଆସେ ଜ୍ଜ୍ୱଳନ୍ତ ଅଗ୍ନିର

ଝମକାଇ ଜାଳିବାକୁ ଘର ମୋର, ସ୍ଵର ମୋର

ଦେହ ମନ, ପ୍ରଜ୍ଞା ଆଉ ଉତୁଙ୍ଗ ପ୍ରାସାଦ ।

 

ଆହେ ପ୍ରାଣବଧୂ ମୋର

କେସନେ ବଞ୍ଚିବୁ ଏଇ ଝଡ଼ର ଗ୍ରାସରେ

ଆଉ କି ଦେଖିବି ନାହିଁ, ଆଉ କି ଶୁଣିବି ନାହିଁ

ଓଢ଼ଣା ଉହାଡ଼ୁ

ଲାଜରା ମୁହଁର ନାଲି, ଆଖି ଲେଉଟାଣି

ଥରିଲା ଥରିଲା ଓଠୁ ମଧୁର କାହାଣୀ ।

 

ଏକି ରେ ନୂତନ ସ୍ୱର ଅଗ୍ନିର ଝଡ଼ରେ

ଚହଲି ଚହଲି ଉଠେ ମୋର ଦାଣ୍ଡଦ୍ୱାରେ

ଆହେ ପ୍ରାଣବଧୂ ମୋର, ମେଲି ଦେ କବାଟ ତୋର

ଏଇ ଶୁଣ ଏକମାତ୍ର ବଞ୍ଚିବା ରାଗିଣୀ

କରୁଣ କେନ୍ଦରାର ସୁମଧୁର ଧ୍ୱନି ।

 

ସେ ଧ୍ୱନି ବିଳପି ଉଠେ

ଡାକେ ତୋତେ ଶୁଣ ଆଗୋ ବଧୂ

ଜନନୀ ମୁକୁତା ଦେଈ କାନ୍ଦେ ରାଣୀ ପୁତ୍ର ପ୍ରବୋଧାଇ

ନିର୍ବଂଶ ହେବା ଭୟେ, କ୍ଷତି ପରେ ଇତି ହେବା ଡରେ

“କେତେ ଗାଡ଼ି କେତେ ଘୋଡ଼ା କେତେ ଧନ ତୋ ବାପର ଥିଲା,

ମରଣ କାଳରେ ପୁତ୍ର ସେ ଯେ ଛିଣ୍ଡା ପଲଙ୍କରେ ଗଲା ।

 

ଏକା ହୋଇ ଆସିଛୁ ତୁ ଯିବାବେଳେ ଯିବୁ ପୁଣି ଏକା

ଧନମାନ ସଦୋର ନ ଥିବେ ଧର୍ମ ମାତ୍ର ଯୁଗଯୁଗ ସଖା ।”

 

କଂସାରି ଘରର ପାରା ଶ୍ରବଣ ତୋ ଅର୍ଥର ଟଙ୍କାରେ

ଚମକି ଉଠିବ ସତେ, ବଧୂ ମୋର, ଏ କେନ୍ଦରା ସ୍ୱରେ !

 

ଏଇଶୁଣ ସେ ଯେ କାନ୍ଦେ ଆହୁରି କରୁଣ

କେମିତି ଆସିବ କହ, ବଧୂ ମୋର, ବିଚାରୀ ବଉଳାଗାଈ

ବାଟେ ବାଟେ ପଞ୍ଝା ପଞ୍ଝା ବାଘର ଘେରାଉ

ଛାଡ଼ିବେ କି ତା’ କଥାରେ ପତିଆରା ରଖି

କୁନି ବାଛୁରୀକୁ କ୍ଷୀର ପିଆଇବ ଥନଭାଙ୍ଗି ସତେ !

 

ଆହା, ଗାଆ ଗାଆ ହେ କେନ୍ଦରା

ଏ ଜ୍ୱଳନ୍ତ ମଧ୍ୟାହ୍ନ ବେଳାରେ

ଥନଦେଇ ବାଛୁରୀକୁ ଫେରିଆସୁ ସେ ବଉଳା ଗାଈ

ବାଘ ଆଖି ଲୁହଢାଳୁ ଏ ବିଶ୍ୱର ନୂଆ ସୃଷ୍ଟି ପାଇଁ ।

Image

 

ସାମାନ୍ୟ କଥନ ! ମୃତ୍ୟୁର

 

ବରଫ ଝରୁଛି ଏଠି ବରଫ ଝରୁଛି

ଧାନକ୍ଷେତେ, ମୋ’ ପ୍ରିୟାର ନିଟୋଳ ସ୍ତନରେ

କୋଣାର୍କର କାରୁକାର୍ଯ୍ୟ, ଗୀର୍ଜାର ଚୂଡ଼ାରେ

ମଣିଷର ନୀଳମନେ, ଅରଣ୍ୟ ସିଂହର ଦେହେ

କୋଇଲା ଖଣିରେ ଏଠି ବରଫ ଝରୁଛି ।

 

ସେ ବରଫ ରାଜା ଏକ, ତା’ ହାତରେ ଛୁଇଁଛୁଇଁ

କାହାକୁ କରେନା ସୁନା

ପ୍ରତ୍ୟେକ ଜୀବନେ ଖାଲି ମରଣ ଆଣୁଛି

ବରଫ ଝରୁଛି ଏଠି ମରଣ ଝରୁଛି ।

 

ମାତ୍ର ମରଣର ଅର୍ଥ କ’ଣ ଜୀବନ ଶୂନ୍ୟତା ?

ଯେ ଜୀବନ ପୋତିଯାଏ ବରଫ ଭିତରେ

ସେ କି ପୁଣି ଫେରୁନାହିଁ କିଛିଦିନ ପରେ ?

 

ଅତଏବ ଆଜି ଯେଉ ମୃତ୍ୟୁ ଏଠି ଜୀବନକୁ ସାଉଁଟି ନେଉଛି

ସେ ବି ପୁଣି ମାଆ, ହୋଇ ଥନଭାଙ୍ଗି କ୍ଷୀର ଦେଇ

ତାକୁ ପାଳୁଅଛି

ପୁଣି ଗୋଟିଏ ମରଣେ ଅଛି ଅନେକ ଜୀବନ

ଏବଂ ଅନେକ ମରଣ ଚାରୁ ସୋଲ ଡଙ୍ଗା ଭଳି ଗୋଟିଏ ଜୀବନେ ଭାସୁଛି ।

 

ଏଣୁ ମୃତ୍ୟୁରେ ଆଶ୍ଚର୍ଯ୍ୟ କ’ଣ ?

କାହିଁକି ବା ଏତେ ଭୟ, ଏତେ ଆଖି ଟେକା

ମହିଁଷୀ ମନ୍ଦାରମାଳ, ଅନ୍ଧକାର, ନିଦ୍ରାପାଇଁ

ଶାସ୍ତ୍ରପାଠ, ସଂକୀର୍ତ୍ତନ, କାନ୍ଦଣା, ମନବୋଧ ଚଉତିଶାଲେଖା ?

 

ମୃତ୍ୟୁ ମାତ୍ର ଜୀବନର ବୈଷୟିକ ନାମାନ୍ତର

ଗୋଟିଏ ଆକାଙ୍‍କ୍ଷାର ପରିପୂର୍ଣ୍ଣତା ।

Image

 

ମହିଷାସୁର

 

ଅର୍ଦ୍ଧେକ ପଶୁ ଏବଂ ଅର୍ଦ୍ଧେକ ମୁଁ ନର

ମୁଁ ମହିଷାସୁର ।

 

କିଏ ତୁମେ ଆଲୋକରେ ଦେବତ୍ୱର ମୁଖାପିନ୍ଧି

ମୋ’ ଆତ୍ମାକୁ ହାଣିବାକୁ ବୃଥା ଚେଷ୍ଟାକର

ତୁମେ କି ଦେଖିନ କେବେ ଅନ୍ଧାକାରେ ନିଜରୂପ

ଶୁଣିନାହିଁ ସ୍ଵମନର ଆସୁରୀ ଝଂକାର ?

 

ତେବେ କିଆଁ ଏତେକ ଛଳନା

ଦେବତ୍ୱ ଶବ୍ଦ ଗଢ଼ି ସେ ଶିବିରେ ଆଶ୍ରା ନିଅ

ଆପଣା ପଶୁତ୍ୱ ଓ ଅସୁରତ୍ୱ ଅସ୍ୱୀକାର କରି

ହେ ମନୁଷ୍ୟ ଏ ଧରାର,

ଋଦ୍ଧ ଶ୍ୱାସେ ପାପୀ ବୋଲି ମୋତେ ଠାରିଦେଇ

ଅତର୍କିତେ ଆପେ ଧରାପଡ଼ !

 

ସମସ୍ତ ଶକ୍ତି ଦେଇ ବିବେକ ଓ ସଂଯମର ଅଙ୍କୁଶ ଲଗାଇ

ପାରିନାହିଁ ମୋତେ ଆଗୁଳାଇ,

ତେଣୁ ଆଜି ଅସ୍ତ୍ର ଦେଇ ଏ ସୁନ୍ଦର ଅଷ୍ଟମୀ ପ୍ରଭାତେ

ପଠାଇଲ ଏକ ନାରୀ ଯାର ମୁଖେ

କୋଟିକୋଟି ଚନ୍ଦ୍ରର ଜୋଛନା

ସ୍ୱର୍ଣ୍ଣ ଶଂଖ ଦୁଇ ସ୍ତନ ଦ୍ରାପି ଠେଲି ବିଞ୍ଚେ ଅଗ୍ନିକଣା,

ସୁଗଭୀର ନାଭିଦେଶ, ଝୀନ ଦୁକୁଳର ତଳୁ

ମାଂସଳ ନିତମ୍ବ ଏବଂ

ସୁନାର ଜଘନେ ଲୁଚା ସୁନୀଳ ତ୍ରିଯାମା ।

 

ହେ ମନୁଷ୍ୟ, ଦେଖୁଛକି ଥରେ

ଅପର୍ଯାପ୍ତ ରୂପ ଏବଂ ଦଶହାତେ ତୀକ୍ଷ୍‍ଣ ଅସ୍ତ୍ର ସତ୍ୱେ

କେତେ ସିଏ ଅସହାୟା, ମୋର ଆଜ୍ଞା ଘେନି

ବାଧ୍ୟ ଏବେ ହୋଇବାକୁ ଉଲଗ୍ନ ବିବାକ ।

ନିଜ ହାତେ ଖୋଲେ ଦ୍ରାପି, ଅଶ୍ରୁଳ ନୟନେ

ଖୋଲିଦିଏ କଟିବାସ, ଜଘନରେ ଅସଂଲଗ୍ନ କରି

ଦେଖାଏ ତା’ ଯୁଗ ଯୁଗ ଲଜ୍ଜାର କାରଣ ।

 

ମାନୁଛି ବିକ୍ଷତ ହେଲି, ଶକ୍ତି ହରା ହେଲି

ତୁମର ସେ ଉଲଗ୍ନ ନାରୀର ରୂପରେ

ମାତ୍ର ମୁହିଁ ମରି ନାହିଁ, ମରି ନାହିଁ ମୋର ଆତ୍ମା

ଆନନ୍ଦେ ମୁଁ ପଦେ ଦଳେ

ତବ ସୃଷ୍ଟ ଦେବୀ ଅହଙ୍କାରେ ।

 

ବିଜୟୀ ମହିଷାସୁର କହେ ତେବେ ଶୁଣ ଏଇ କଥା

ହେ ମନୁଷ୍ୟ ଏ ଧରାର,

ନିଜହାତେ ପୁରାଣ ଓ କିମ୍ବଦନ୍ତୀ ସୃଷ୍ଟି କରି

ଯେ ଛଳନା ମୁଖା ପିନ୍ଧିଅଛ,

ଫିଙ୍ଗି ଦିଅ ଆଜି ସବୁ । ନିର୍ଭୟ ଓ ନିର୍ବିକାରେ

ଚାହଁ ଥରେ ଆପଣା ଅନ୍ତର

ସେଇଠି ବଞ୍ଚିଛି ମୁହିଁ, ଜଳୁଛି ମୋ’ ସନାତନୀ ରୂପ ।

ମୋତେହିଁ ସ୍ଵୀକାର କର, ଶଙ୍କା ତେଜି ମୋତେ ସ୍ନେହକର

ମୁହିଁଯେ ନିତାନ୍ତ ସତ୍ୟ, ସୂର୍ଯ୍ୟଠାରୁ ଆହୁରି ଭାସ୍ଵର ।

 

ସତ୍ୟର ପ୍ରକାଶ ହେଉ, ସୁନ୍ଦରର ଶୁଭୁ ଜୟଗୀତି

ଏ ବିଶ୍ୱର ଦେହେ ମନେ ଫୁଟୁ ଏକ ନୂତନ ସଂକ୍ରାନ୍ତି ।

Image

 

ବିଦ୍ରୋହ

 

ମୁଁ ତୁମକୁ କରେନା ବିଶ୍ୱାସ ଅବତାର ରାମଚନ୍ଦ୍ର,

ଲୋଡ଼େ ନାହିଁ ତୁମ ଅନୁଗ୍ରହ

ମରୁପଥେ ମରୁ ପଛେ ମୋ’ ଜୀବନ ଶାଶ୍ୱତ ପ୍ରବାହ ।

 

ଛଳନା କରିଲ ଯାହା ପରଜା ପାଳନ

ଆତ୍ମକାମି, ରାଜା ନାମ ବହି

ଆଦର୍ଶର ଇନ୍ଦ୍ରଧନୁ ବିଶ୍ୱନଭେ ଟାଣି

କର୍ତ୍ତବ୍ୟରେ ଦିଗେ ଦିଗେ ଗଲ ଯା ଚେତାଇ

ଆଜି ସେ ସମସ୍ତ ଶୂନ୍ୟେ ଯାଇଛି ମିଳାଇ ।

 

ଆଶ୍ରମେ କାନ୍ଦୁଛି ଦେଖ ତୁମ ପ୍ରାଣପ୍ରିୟା

ଭାଗିରଥୀ ତୀରେ ଉଠେ ଝଡ଼, ଜଳେ ନିଆଁ

ବନାନୀର କୋଟିଫୁଲ ଜଳିଯାଏ ଆପେ

ତାହାରି ଉତ୍ତାପେ ।

 

ସେଇ ନିଆଁ ଆସୁଛି ସଞ୍ଚରି

ଦେବାପାଇଁ ଜାଳି

ତୁମର ଏ ଆଦର୍ଶ ନକଲି ।

 

ବରଷ ବରଷ ଧରି ସୁଖ ଦୁଃଖ ଝୁଲଣାରେ ଦୋଳି

ନିଜକୁ ଯେ ଦେଇଛି ବିତରି କେତେରୂପେ କେତେମତେ କରି

ତୁମ ହସ ଦେଖିବାକୁ ଲୁହପୋଛି ଆପଣା ଅଞ୍ଚଳେ

ଜଳିଅଛି ସଳିତାର ସମ ପଳେ ପଳେ,

 

ତା’କୁ ତୁମେ ଦେଲ ଠେଲି, ତା’ର ପ୍ରେମ କଲ ଅସ୍ୱୀକାର

ପ୍ରତାରକ, ବିଦ୍ରୋହ କରିଛି ଆଜି ଏଇଲାଗି

ବିଶ୍ୱ ଚରାଚର ।

 

ଝାଉଁବନେ କାନ୍ଦେ ବାୟୁ, କାନ୍ଦେ ବନେ ଆକୁଳେ କପୋତି

ତୁମକୁ ଝୁରଇ ସୀତା, କୋଟି ତାରା ଆକାଶରେ ନିତି

ତୁମକୁ ସୁମରେ ସତୀ, ମେଘ ତାର ଆଲୋକ ଜଳାଇ

ନୟନୁ ଝରାଇ ଲୁହ ଏ ଧରଣୀ ଉଠେ କଇଁକଇଁ,

ବିଦ୍ରୋହ କରିଛି ଆଜି ଗର୍ଜି ପାରାବାର

ଥରଥର ଝରଣାର କାୟା

ପ୍ରତିଦିଗୁଁ ଉଠେ ରୋଳ ଚିତ୍ତ ହାହାକାର

ଛୁଇଁଅଛି ଯହିଁ ତୁମ ମାୟା ।

 

ଜାଣିରଖ ରାମଚନ୍ଦ୍ର; ପଦେ ଦଳି ଏ ଶତାବ୍ଦି ତୁମ ଅଭିମାନ

କରେ ସମାଧାନ–

ସିଂହାସନଠାରୁ ବଡ଼ ପ୍ରେମ

କ୍ଷମତାଠୁଁ ବଳି ପୂତ ପ୍ରିୟାର ସମ୍ମାନ ।

 

ଏ ଯୁଗର କବି ମୁହିଁ ଘେନି ସୀତା ମୋ’ ଅଭିନନ୍ଦନ

ପୋଛିଦିଅ ଅଶ୍ରୁ ଯେତେ; ଚିରନ୍ତନ ପ୍ରେମର ନିଷାଣ

ଦ୍ରୋହୀ ତବ ପ୍ରିୟ ଲାଗି ଅନୁନୟ କ୍ଷମା ଓ ପ୍ରାର୍ଥନା

ଆଜି ଆଉ ହେବନାହିଁ ଶୁଣା;

ସେ ପାଇବ ଯୋଗ୍ୟ ପୁରସ୍କାର

କୋଟି କ୍ରୁଦ୍ଧ ଜନତାର ପ୍ରାଣର ଧିକ୍‍କାର ।

Image

 

ମୁଁ ଶବ କହୁଛି କଥା

 

ମୁଁ ଶବ କହୁଛି କଥା

ଭାସି ଭାସି ମଣିଷର ରକ୍ତନଦୀ ସୁଏ ।

 

ହେ ବିଶ୍ୱର ଯେତେ କୃଷ୍ଣ, ଭୟଙ୍କର ହିଂସାରେ ଉନ୍ମତ୍ତ,

ତୁମେ କି ପାରୁଛ ଦେଖି ଏ ରକ୍ତର ସ୍ରୋତ

କିପରି ସେ ବେଗବାନ, କିପରି ଉତ୍ତପ୍ତ

ଧାଏଁ ଆଜି ଗ୍ରାସିବାକୁ ତୁମ ସ୍ଵର୍ଗ, ତୁମ ସତ୍ତା

ଆଦର୍ଶ ଛଳନା

ଗୀତାର ସ୍ଵରରେ ଯେତେ କ୍ରୂର ଉତ୍ତେଜନା ।

 

ହେ ବିଶ୍ୱର ଯୁଦ୍ଧଖୋର ମାନୀ ଦୁର୍ଯ୍ୟୋଧନ,

ତୁମେ କି ପାରୁନ ଚିହ୍ନି

ତୁମର ନିର୍ବାପିତ କୁଳର ନନ୍ଦନ ?

 

ତଥାପି ଆସିଛ ଯଦି ଏ କରାଳ ରାତ୍ରିର ଅନ୍ଧାରେ

ପାରିହୋଇ ବଞ୍ଚାଇବ ପ୍ରାଣ ତୁମ ଘୃଣିତ ଜୀବନ

ନିଃସହାୟ ଯଦି ହେଲ ମଣିଷ ଜାତିକୁ ମାରି

ଏବଂ ତାରି ଶବେ ଶେଷ ଆଶ୍ରା କରି,

ମୁଁ ତୁମକୁ ବଞ୍ଚାଇବି ଭେଳା ହୋଇ ତୁମପାଇଁ ମରଣ ପରେବି

ଆସ ମୋତେ ଦୃଢ଼େ ଧର, ପାରିହୁଅ ଏ ରକତ ନଈ

ମୋ’ ପାଇଁ କାନ୍ଦନା ଆଉ, ପିତା ମୋର,

ତୁମ ଲୁହ ଝରୁ ଏବେ ମଣିଷର ପାଇଁ ।

Image

 

ଉତ୍ସର୍ଗ

 

ଯଦି ଗୋଟିଏ ଯୀଶୁର ରକ୍ତେ

ଏ ଧରଣୀ ନ ହେଲା ପବିତ୍ର,

ସମସ୍ତ ତମସା ଭେଦି ହେଲାନାହିଁ ନବ ସୂର୍ଯ୍ୟୋଦୟ

ନ ଫୁଟିଲା ପ୍ରତିମୁଖେ କୋଣାର୍କର କମନୀୟ କାନ୍ତି,

ତେବେ ହେ ମର୍ତ୍ତ୍ୟର ସାହାହୀନ ଅସଂଖ୍ୟ ଜନତା

କ୍ରୁଶବିଦ୍ଧ କର ମୋତେ ।

 

ମୋହରି ରକ୍ତରେ

ସ୍ୱର୍ଣ୍ଣବୀର ଧାର ଛୁଟୁ କଳକଳ

ଏ ଧରାର ଉଷର ବକ୍ଷରେ ।

 

ଏବଂ ମୋ’ ମରିବା ଆଗୁଁ ଯେହ୍ନେ ଶୁଣିପାରେ

ମୋ’ ପଶ୍ଚାତେ ଅଗଣିତ ମୃଦୁ ପଦଧ୍ୱନି

ଆନନ୍ଦ ଓ ତୃପ୍ତ ହସ ଦୀପ୍ତ ଜନତାର ।

Image

 

ଅବିଶାଗ

 

ପ୍ରାସାଦର ପ୍ରତିଗାତ୍ରେ ଝରିପଡ଼ା କାରୁକାର୍ଯ୍ୟ,

କେତେ ମୋତି, ହୀରା

ବ୍ୟାଘ୍ରର ଭୀଷଣ ମୁଖ, ହରଣର ଚିତ୍ରିତ ଚମଡ଼ା

ବର୍ଚ୍ଚା ଓ ବଲ୍ଲମ ପୁଣି ଛନ୍ଦାଛନ୍ଦି କଳଙ୍କି ସାୟକ ।

 

ବୃଦ୍ଧରାଜା ଚାହିଁରହେ

ଦେହେ ତାର ଜମାଟ ବରଫ

ପକ୍ୱଗାଲମୁଚାତଳେ କର ରଖି ଭାବେ ଖାଲିଭାବେ

ଅତୀତ କୀର୍ତ୍ତିର ଦିନ । କେଉଁ ଏକ ନିଷ୍ପ୍ରଭ ତାରକା

ବହୁଦୂର ଆକାଶରେ ସକରୁଣ ଲିଭି ଲିଭି ଜଳେ ।

 

ଆଜିର ପୃଥିବୀ ସେ କି ?

ଆଉଥରେ ଉତ୍ତାପ ପାଇଁକି

ଲୋଡ଼ୁଅଛି ଅବିଶାଗ, କମନୀୟ ଅକ୍ଷତ କୁମାରୀ

ତା’ ଧୂସର ବକ୍ଷପରେ ଯେ ସବୁଜ ଶାଖା ମେଲିଦେବ

ପରିତ୍ୟକ୍ତ ତାର ଏଇ ସମୁଦ୍ର ପୁଳିନ

ଯା’ ପୂର୍ଣ୍ଣମୀ ସ୍ତନ ତଳେ ଆଉଥରେ ମୁଖରିତ ହେବ ।

 

 

ତେଣୁ ଆଗୋ ଅବିଶାଗ,

ଯେତେ କିଛି ଦୀର୍ଘଶ୍ୱାସ, ଅତୃପ୍ତିର ସତ୍ତ୍ୱେ

ଦୃଢ କରି ଭିଡ଼ିରଖ ଆଜି ସମ୍ରାଟଙ୍କୁ

ପୂର୍ଣ୍ଣ କର ଶୂନ୍ୟତାକୁ ଅସଂଖ୍ୟା ଚୁମ୍ବନେ ।

 

ଆହା, ବଞ୍ଚିରହୁ ଏ ପୃଥିବୀ

ବଞ୍ଚିରହୁ ଆଉ କେତେ କାଳ

ତୁମରି ଗନ୍ଧରେ ତାର ଶିରାରେ ଶିରାରେ

ଖେଳୁରକ୍ତ ନବ ଉଷ୍ଣତାର ।

Image

 

ପ୍ରତୀକ୍ଷା

 

ଏତେ ସମୟ ଧରି

ତୁମେ ସବୁ କାହାର ପ୍ରତୀକ୍ଷା କରିଛ ?

କରୁଣା ସାଗର ଈଶ୍ୱରଙ୍କର ?

ସେ ଆସିବେ ନାହିଁ ।

ହୋଇପାରେ ସେ ବର୍ତ୍ତମାନ ତୁମଠାରୁ

କୋଟି କୋଟି ଆଲୋକବର୍ଷ ଦୂରରେ ଥାଇ

ଖାଇ ପିଇ ବେଶ ଆରାମରେ ସିଗାରେଟ ଟାଣୁଥିବେ

ଏବଂ ତୁମ କଥା ତାଙ୍କର ମନେ ନ ଥିବ ।

ପୁଣି ମନେ ରଖ,

ଯଦିବା ସେ ଆସି ନିଜର ପରିଚୟ ଦିଅନ୍ତି

ତୁମେ ଅତିଶୀଘ୍ର ପୋଲିସକୁ ଖବର ଦେବ,

କାରଣ ଏହା କ’ଣ ସତ୍ୟ ନୁହେଁ, ଯେ ନିଜକୁ

ଈଶ୍ୱର ବୋଲି କହନ୍ତି ସେ ଈଶ୍ୱର ହୋଇ ନ ପାରନ୍ତି !

ତେଣୁ ଅପେକ୍ଷା ନ କରି

ତୁମ ଚାରିପାଖେ ଗଦା ଧୂ ଧୂ ବାଲି ପାହାଡ଼ରୁ

ସ୍ଵାସ୍ଥ୍ୟକର ଖାଦ୍ୟ ସଂଗ୍ରହ କରିଆଣିବାକୁ ଯାଅ ।

ଏବଂ ତୁମେ ଫେରିଆସି ଆଶ୍ଚର୍ଯ୍ୟ ହେବ

ଈଶ୍ୱର ତଥାପି ଆସିନାହାନ୍ତି !

Image

 

ସିଡ଼ି

 

ମୋତେ ମାରି ଯେଉଁମାନେ

ମୋ’ ଅସ୍ଥିରେ ସିଡ଼ି କରି

ସ୍ଵର୍ଗକୁ ଉଠିଲ,

ଘେନାକର ଅଳି ମୋର

ସିଡ଼ିଟାକୁ ପାଦେ ଠେଲି

ନ ଗଡ଼ାଅ ପୁଣି ଏ ମାଟିରେ;

 

କାରଣ ଦିନେ ନା ଦିନେ

ତୁମରି ଭବିଷ୍ୟତ ବଂଶଧର

ଜୀବନ ରକ୍ଷାର ପାଇଁ

ରକ୍ତ ଦେବା ଲାଗି

ଈଶ୍ୱର ସେ ସିଡ଼ିରେ

ମର୍ତ୍ତ୍ୟକୁ ଆସିବେ ।

Image

 

ନରକରୁ

 

ଏଇ ଯେଉଁ ଉଦ୍ୟାନରେ

ଅସଂଖ୍ୟ ମାଛି ଭଣଭଣ ହେଉଛନ୍ତି

ମୋତେ ସେଇଠି ପୋତିଦେବ ।

 

ଏବଂ ସେଦିନ ମୋର ସମସ୍ତ ଅସ୍ଥିର ସାର ନେଇ

ମୋ’ କବରର ପ୍ରଥମ ପ୍ରଦୀପ୍ତ ଗୋଲାପ

ଉଦ୍ୟାନର ପାଖ ଦେଇ ଯାଉଥିବା

ପ୍ରତ୍ୟେକ ବାଟୋଇଙ୍କୁ ନିମନ୍ତ୍ରଣ କରିବ-

“ଆସ, ଦେଖ, ନରକରୁହିଁ ସ୍ଵର୍ଗ ଜନ୍ମ ନିଏ ।”

Image

 

ଆତ୍ମହତ୍ୟା ସଂପର୍କରେ

 

ଜ୍ୟୋତ୍ସ୍ନାଭିଜା ଏଇ ମଧୁମାଳତୀ ପ୍ରାଚୀରେ

ଛନ୍ଦାଛନ୍ଦି ଫୁଲ କେତେ

ମେଲି ଦେଇ ଆପଣା ସୁରଭି

ହସିହସି ଦେଖୁଛନ୍ତି ପବନ ତା’ କେତେବାଟ ନେଲା ।

 

ଏ ଧରଣୀ ଶୋଇଅଛି

ଶୋଇଅଛି ଅୟୁତ ଜୀବନ

ଅୟୁତ ଶରୀର ଏବେ ପଡ଼ିଛି ଶେଯରେ,

ହେଲେ କାମନାଟା ଶୋଇନାହିଁ

ଅୟୁତ ସେ, କୁତ୍ସିତ ସେ

ସମସ୍ତ ତା’ ଶକ୍ତି ନେଇ

ପ୍ରତି ସ୍ନାୟୁତଳେ କ୍ରୀଡ଼ା କରେ ।

 

ଭୟଲାଗେ ଏ ରାତ୍ରିରେ ଯେତେ ମନେ

ଜାଗିଅଛି ଭୟଙ୍କର କାମନାର ସ୍ୱପ୍ନ

କାଲିର ପବିତ୍ର ପ୍ରାତେ ସେ ସମସ୍ତ ସତେ ଅବା

ବାସ୍ତବରେ ଅନୁବାଦ ହେବ,

ଆଜିର ଏ ରାତ୍ରିପରେ କାଲିର ମଣିଷ

ରକ୍ତର ଉତ୍ସବ ସାରି ବାସନା ସାର୍ଥକ କରି

ଗର୍ବ ନେଇ ହସି ଲୋଟିଯିବ !

 

ଏଣୁ ଆହେ ମଧୁମାଳତୀର ଦଳ,

ସରଳ ବିଶ୍ୱାସ ଆଉ ଛଳଛଳ ପ୍ରାଣ ଆବେଗରେ

ଯେତେକ ଖେଳୁଛି ଏଥି

ଆତ୍ମହତ୍ୟା କର ଏବେ କର,

ହେଉପଛେ ପାପ ପୁଣି ନ ମିଳୁ ବା

ସ୍ଵର୍ଗ ସିଂହାସନ

ଅମୃତ ସୋପାନ

ଦୁଃଖ ନାହିଁ ତିଳେ ଦୁଃଖ ନାହିଁ,

କାରଣ ଏ ଧରଣୀ ଅନୁର୍ବର ହେବା ଆଗୁ

ମରଣହିଁ କାମ୍ୟ ତୁମ ପାଇଁ ।

Image

 

ସ୍ମୃତି ଓ ସତ୍ୟ

 

ମୋ’ ଜୀବନର ତିନୋଟି ଦିନର ସ୍ମୃତି

ଅଚେତନ ମନର ଅନ୍ଧକାର କୋଠରୀରେ

ଖଦ୍ୟୋତର ଆଲୋକ ଥରଥର ଜଳିଉଠିଲା ପରି ଜଳି ଉଠେ ।

 

ସେଇ ଅଗଭୀର କେନାଲର ଟିକିଏ ଦୂରରେ

ଛୋଟ ଛୋଟ ବାଲି ପାହାଡ଼ର ଗାମଲାରେ

ସୁସଜ୍ଜିତ ଅସଂଖ୍ୟ ବାଦାମ ଗଛ ।

 

ପ୍ରଥମ ଦିନ : ବସନ୍ତ ପ୍ରଭାତର ।

 

ବାଦାମ ଫୁଲର ଗନ୍ଧରେ ଘନୀଭୂତ ପବନ ସୁଅରେ

ପ୍ରଜାପତିର ନର୍ତ୍ତନ

କଅଁଳ ପତ୍ରର ଓଢ଼ଣା ତଳେ ସ୍ଵପ୍ନ ବିଭୋର

ପକ୍ଷୀ ଓ ପକ୍ଷିଣୀର ସୁମଧୁର କୂଜନ,

ଆଉ ସେଇ ନୀଳବଣର ସମୁଦ୍ର ଭିତରେ

ମୁକ୍ତାର ସନ୍ଧାନ ମିଳିଲା ଭଳି

ମୁଁ ଆବିଷ୍କାର କଲି ଗୋଟିଏ କିଶୋରୀକୁ

ଅଯତ୍ନଜାତ ମାଧୁରୀଭରା ଅନନ୍ୟା ରୂପସୀକୁ,

ତା’ର ଲୋଳନୀଳ ଆଖିରେ ଲାଗିଥିଲା ହସ ଆଉ ଆଶାର ଉତ୍ସବ ।

 

(ଜୀବନ ଫୁଲପରି ବୋଧ ହେଲା ।)

 

ଦ୍ୱିତୀୟ ଦିନ : ବର୍ଷୁକ ସନ୍ଧ୍ୟାର ।

 

ମୁଁ ଦେଖିଲି ସେଇ କିଶୋରୀକୁ

ଆଖିରୁ ତାର ଝରିପଡ଼ୁଥିଲା ଅଗଣିତ ଅଶ୍ରୁର ଉଚ୍ଛ୍ୱାସ

ମୁଁ ଚମକି ପଡ଼ିଲି । ଯନ୍ତ୍ରଣା, ନିରାଶା !

 

(ଜୀବନ ଦୁଃସହ ବୋଧ ହେଲା ।)

 

ତୃତୀୟ ଦିନ : ଶୀତାର୍ତ୍ତ ରାତ୍ରିର ।

ସେଦିନ ସେ ବାଦାମବଣଟି ନିସ୍ତେଜ ବୃଦ୍ଧ ପରି

ଘୋଡ଼ିହୋଇ ବସିଥିଲା କୁଞ୍ଚିତ ଚାଦରଟିଏ,

ଆକାଶରେ ନିଷ୍ପ୍ରଭ ଚନ୍ଦ୍ର ଗତିଶୀଳ ମେଘର

ଚକତଳେ ମଥା ରଖି ଆତ୍ମହତ୍ୟା କରିବାକୁ ଯାଉଥିଲା ।

 

ଠିକ୍ ଏତିକିବେଳେ ଶୁଶିଲି ଦଳେଲୋକଙ୍କ କୋଳାହଳ

ଆଉ ସେମାନଙ୍କୁ କାନ୍ଧରେ ଲଦା ହୋଇଛି ଶବଟିଏ ।

ସେ ଶବ ସେହି କିଶୋରୀର !

 

(ଓଃ, ଜୀବନ ତେବେ କ’ଣ ମରଣର ? ?)

Image

 

ବନ୍ଦାଣ

 

ଏତେ କାଳ ପରେ

ଏ ପୃଥିବୀ ଛୁଇଁବାକୁ ଜହ୍ନ ତାର

ପାଦ ଲମ୍ବାଉଛି ।

 

ତେଣୁ ମୁଁ ତ୍ୟାଗକରି ଶଯ୍ୟା ମୋର ଡାକ୍ତରଖାନାର

ଯେଉଁଠି ପ୍ରତ୍ୟେକେ ମହା ବ୍ୟାଧିଗ୍ରସ୍ତ, ଅସହ୍ୟ ଚିତ୍କାର

ଯେଉଁଠି ବଞ୍ଚିବାମାନେ ନାସିକାରେ ନିଶ୍ଵାସ ଗ୍ରହଣ

ମେରୁଦଣ୍ଡ ଦୃଢ଼କରି ଛିଡ଼ା ହୁଏ ଏବଂ ପାଦ ବାଢ଼େ

ପଛକରି ଚାର୍ଟ, ଶିଶି, ଛିଣ୍ଡା ପାଉଁରୁଟି ।

 

ହେ ମୋର ମୁମୂର୍ଷୁ ଯେତେ ବନ୍ଧୁ ସହୋଦର

କେଉଁଠି କାନ୍ଦୁଛ ସବୁ, ଆସ ଆସ ବନ୍ଦାଇବା ଅତିଥି ଚରଣ ।

 

ଯେ ଆକାଶ ପୋଡ଼ିପାରେ ଯେତେ ସବୁ

ଭଙ୍ଗା ନଅରକୁ ଏବଂ ତା’ ମଧ୍ୟରେ

ଘୁରି ଘୁରି ବୁଲୁଥିବା ତୀବ୍ର କରୁଣତା,

ତା’ର ପ୍ରତିନିଧି ହୋଇ ସେ ଆସିଛି ।

 

 

ଏଣୁ ଜୀବନକୁ ଧରିରଖ

ସେଥିରେ ତଥାପି ଯାହାକିଛି ରଙ୍ଗ ଲାଗେ

ତାକୁ ଧରି ରଖ ।

ଆଉ ଥରେ ମାତ୍ର ଆଜି ଦୁଃସାହସୀ ହୁଅ

ଏବଂ ଯନ୍ତ୍ରଣାର ଶବ ପୋଡ଼ି ଚୁମ୍ବନ ଜୁଇରେ

ଜହ୍ନକୁ ବନ୍ଦାଅ ।

Image

 

ମୁଁ ଚାହୁଁଛି

 

ଶୂନ୍ୟ ଶାନ୍ତି, ମହାଶାନ୍ତି, ନିଛାଟିଆ ଶାନ୍ତି

ଅସମ୍ଭବ ଶାନ୍ତି ମୋର ଜୀବନକୁ ଘେରେ

ମୁଁ ଅଣନିଶ୍ୱାସୀ ଏଇ ଶାନ୍ତିର ଜଞ୍ଜାଳେ

ମୁଁ କାନ୍ଦୁଛି ଅବିଶ୍ରାନ୍ତ ଶାନ୍ତିର ପୀଡ଼ାରେ ।

ମୁଁ ଏକ ଚଡ଼କମରା ଥୁଣ୍ଟାଗଛ କେଉଁ ଏକ ନିର୍ଜନ ଦ୍ୱୀପର

ବିସ୍ତୃତ ଆକାଶ ତଳେ ଧୂ ଧୂ ଧୂସର ପ୍ରାନ୍ତରେ

କେତେଦିନୁ ଛିଡ଼ା ଧରି ଶାନ୍ତିର ଆଦର୍ଶ ।

ତୁମେ ଯିଏ କହସବୁ ମୁଁ ପରା ଅମୃତ ସନ୍ତାନ

ଏବଂ ମରିବାର ଅଧିକାର ନାହିଁ ମୋର

ଦୟାକରି ଜଣାଇବ ମୋ’ ସୃଷ୍ଟିକର୍ତ୍ତାଙ୍କୁ

ମୋ’ ଦେହରେ ଚୋଟ ହାଣି ବିକ୍ଷତ କରନ୍ତୁ,

ଯଦି କିଛି ରକ୍ତ ଥାଏ ବହିଯାଉ, ଅଙ୍ଗ ଛିଡ଼ୁ

ଅନୁଭବ କରେ ଥରେ ସେଇତକ ଜ୍ୱାଳା ଓ ଯନ୍ତ୍ରଣା,

ଝଂଜା ପିଟୁ, ଥରେ ମୁଁ ପରଖି ନିଏ ଶକ୍ତି ମୋର ନିଭୃତ ପ୍ରାଣର ।

ନଚେତ୍ ଅଜସ୍ର ଚୁମ୍ବନ ଦେଇ ମୋ’ ଦେହରେ

ଫୁଲ ଫଳ ପତ୍ର ଛାଇ ଯାନ୍ତୁ ।

ପକ୍ଷୀର କାଜଳୀ ପୁଣି ପଥିକ ସଙ୍ଗୀତେ

ଅଭିସାରିକାର ଭାରୁ କଙ୍କଣ ଝଙ୍କାରେ

ବଞ୍ଚିବାର ମୁଲ୍ୟ ବୁଝେ ।

ମୁଁ ଚାହୁଁଛି ବଞ୍ଚିବାକୁ ଯନ୍ତ୍ରଣା ଓ ରୋମାଞ୍ଚ ମଧ୍ୟରେ

ଅସହ୍ୟ ମୋ’ ପ୍ରାଣ କାନ୍ଦେ ଅବିଛିନ୍ନ ଶାନ୍ତିର କବରେ ।

Image

 

ଆତ୍ମଗୀତି

 

କିଛି ମେଘ ଝୁଲିପଡ଼େ ଆକାଶ ଛାତିରେ

ଟପ୍ ଟପ୍ ଝରେ ପାଣି ନାରିକେଳ ଶିରାରେ ଶିରାରେ

ମେଘ ପୁଣି ଛାଡ଼ିଯାଏ, ହଂସ କେତେ ଗୋଟି

ଖେଳିଲେଣି ଡକାଡ଼କି ସୁଅ କାଟି କାଟି ।

ହତାଶ ମୁଁ ଘୁରିବୁଲେ ପାଉନାହିଁ ରହିବାକୁ ସ୍ଥାନ

ସମ୍ମୁଖ ଆଲୋକ ସ୍ତମ୍ଭ ଧୀରେ ଧୀରେ ଦିଶିଲାଣି ମ୍ଳାନ

ନିଜର ଯେ ଦୁରେ ଯାଏ ଅବା କହେ ମନରଖା କଥା

ନିଜ ଭୁଲ୍ ଖୋଜି ଖୋଜି ପ୍ରାଣେ ପାଏ ଅସରନ୍ତି ବ୍ୟଥା ।

ଏଣୁ ଏବେ ବିଚାରିଛି ମନେ

ଯିବି ମୁଁ ଅଜଣା ପାଶେ, ଯିଏ କେବେ ନ ଥିଲା ନିଜର

ସେମାନଙ୍କ ଦଲିଲରେ କରି ମୁଁ ସ୍ଵାକ୍ଷର

ବାନ୍ଧିଦେବି ନୀଳରାକ୍ଷି ହାତେ,

ପୁଣି ନିଜ ମନ ମତେ

ବାଛିନେବି ମୋ’ ଆବାସ ସ୍ଥାନ ।

ଏବେ ବି ମଣିଷ ପ୍ରାଣେ ଝରେ ସ୍ନେହ ପ୍ରୀତିର ଝରଣା

ଏବେ ବି ତା’ ହସେ ଖେଳେ ଅମଳିନ କାନ୍ତି, ଦୟା, କ୍ଷମା ।

ଚାରିଦିଗେ ଘର ମୋର, ପ୍ରତି ଜଣ ଡାକେ ରହି ରହି

ତୁଚ୍ଛାରେ ମୁଁ କାନ୍ଦେ କିମ୍ପା ଆପଣାକୁ ଆପେ ଦୁଃଖ ଦେଇ ।

ନାହଁ ମୋର ଭୟ ଆଉ ନାହିଁ

ଏ ଅଜଣା ମହାସ୍ରୋତେ ଆଜି ତେଣୁ ଯିବି ମୁଁ ମିଳାଇ

ମିଶିବାକୁ ସୁଦୁର ସାଗରେ,

ଯଥା ଶୁକ୍ରତାରା ମିଶେ ପ୍ରଭାତର ସୂର୍ଯ୍ୟ ଆଲୋକରେ

ଲଭିବାକୁ ନିଜର ପୂର୍ଣ୍ଣତା,

ସେଇଥିରେ ପାଇବି ମୁଁ ଜନମର ସତ୍ତା ।

Image

 

କେତେଦିନ ପରେ

 

କେତେଦିନ ପରେ ସେ କାବ୍ୟ ପୁରୁଷ

ମୋ’ ଚେତନାର କବାଟରେ

ଆଘାତ କରନ୍ତି ବାରମ୍ବାରେ ।

 

ହେ ଦ୍ୱାରଦେଶର ଦାସୀ, କ’ଣ ଠିକ୍ କଲ

ଖୋଲିଦେବ କବାଟ କି ?

ଟେକିଦେବ ଝରକାର ଯେତେକ ଅର୍ଗଳ ?

ପ୍ରବେଶିବେ ବୀର କାନ୍ତ ବାହିନୀଗଣର ପ୍ରଭୁ

ତେଜୋଦୀପ୍ତ ଚେତନା ସ୍ଵୟମ୍ଭୁ ?

 

କାହିଁଗଲେ କହ

ମୋ’ ଅନ୍ତପୁରର ସେଇ ସୁନ୍ଦରୀ ଯୁବତୀମାନେ

କାହିଁଗଲା ସେମାନଙ୍କ ଢଳ ଢଳ ମୁହଁ

ବେଣୀହଲା ଚାଲି,

କାହିଁଗଲା ସେମାନଙ୍କ ଅଧରର ଥୋପା ଥୋପା ନାଲି ?

ସେମାନେ ପୀଡ଼ିତ ଅବା ଗାଢ଼ ନିଦ୍ରାଗତ

ଅଥବା ବବର୍ଣ୍ଣା ହୋଇ ଲୁଚନ୍ତି ଲଜ୍ଜିତ ?

 

କଅଣ କହିବି ତେବେ କାବ୍ୟ ପୁରୁଷଙ୍କୁ କି ଉତ୍ତର ଦେବି

ବହୁଦିନ ପରେ ଆଜି ସେ ମୋର ଅତିଥି

କାହା ଘେନି ଏ ବେଳାରେ ତାଙ୍କୁ ସଙ୍ଖୋଳିବି ?

ସେ ଯେବେ ଚାହିଁବେ ଏବେ ଦେଖିବାକୁ ଅନ୍ତଃପୁର

ଉଦ୍ୟାନରେ ତାଙ୍କ ଲଗା ବୃକ୍ଷସବୁ ଫଳଭରା

ହୋଇଛି କି ନାହିଁ ?

କେଉଁ କଥା କହି ପୁଣି ତାଙ୍କୁ ପ୍ରବୋଧିବି ?

 

ହେ ଦ୍ୱାର ପାଳିଣୀ

ଗୁଳୁଭରା, ପୁଷ୍ପଝରା ପର୍ବତ ଉପରେ

ହରିଣୀ ସଦୃଶ ଅତି ତ୍ୱରାନ୍ୱିତା ହୁଅ

ଡାକିଆଣ ଆଜି ଯେତେ ଅତୀତର

ଚେତନାର ସୁନ୍ଦରୀମାନଙ୍କୁ ଏବଂ ପ୍ରିୟ କାବ୍ୟ ପୁରୁଷର

ପ୍ରତିଅଙ୍ଗ ଏକ ହେଉ ସେମାନଙ୍କ ପ୍ରତି ଅଙ୍ଗେ

ଅବ୍ୟକ୍ତ ଆନନ୍ଦେ

ଲିଭିଯାଉ ଦୁଃଖ ମୋର ଶେଷ ହେଉ ଦାହ

ମୋ’ ଜୀବନ ଅନ୍ତଃପୁରୁ ଏ ପ୍ରୀତିର ମଧୁସ୍ୱର

ହେଉ ବିଶ୍ଵମୟ ।

Image

 

ଚଉପଦୀ

 

ମୁଁ :

ଏକ ଟେବୁଲ ।

 

ତୁମେ :

ଏକ ପରିପୂର୍ଣ୍ଣ ଫୁଲଦାନୀ ।

 

ଅଜସ୍ର ସୁରଭିତ ରଂଗର ତରଂଗ ସୃଷ୍ଟିକରି

ମୋ’ ଉପରେ ହସୁଛି ।

 

ଏବଂ ହସୁଥାଅ ।

Image

 

ନୌକା ବିହାର

 

ବସନ୍ତର ଏତେ ବର୍ଷା, ଏତେ ଝଡ଼,

ଅଶୋକର ଶାଖାସବୁ ଭାଙ୍ଗି ପଡ଼ି

ରାସ୍ତା ମୋର ଅବରୁଦ୍ଧ କଲା ।

ଅଥଚ ସେଦିନ ଥିଲା

ଏ ଅଶୋକ ଗଛଟିରେ କେତେ କେତେ ରଙ୍ଗର ଚଢ଼େଇ

ବସାବାନ୍ଧି ରହିଥିଲେ, ସେମାନଙ୍କ ପର

ଏବେ ବି ରହିଛି ପଡ଼ି ରାସ୍ତାରେ ରାସ୍ତାରେ,

ଏବଂ ତାର ଫୁଲଭରା ଶାଖାମାନେ

ଡାକୁଥିଲେ ଯିବାପାଇଁ ସେଇବାଟେ ପ୍ରତି ମୁହୂର୍ତ୍ତରେ ।

ମୋର ସନ୍ତର୍ପଣ ଏବଂ ଉତ୍‍ଫୁଲ୍ଲ ପ୍ରତିଟି ଯାତ୍ରାରେ

ପାରି ହୋଇ ଶବାଗାର, କୃତ୍ରିମ ପ୍ରଜନନ କେନ୍ଦ୍ର

ବିକୃତ ଚିତ୍କାର କିଛି

ଏବଂ କିଛି ରୋଗୀଙ୍କର ଅସହ୍ୟ ଯନ୍ତ୍ରଣା

ଭେଟୁଥିଲି ତାକୁ । ଯା’ର ହିମାଳୟ ସ୍ତନ

ଚୁମ୍ବନେ ରକ୍ତାକ୍ତ କରି ଆଣୁଥିଲି

ନବ ସୂର୍ଯ୍ୟୋଦୟ ।

ସମାଜ ଓ ସମୟ

ବଳି ଆଉ ଶତ୍ରୁ କେହି ମଣିଷର ନାହିଁ,

ଯାହା ପାଇଁ

ପ୍ରତିଟି ଆଖିରେ ଲୁହ, ଅସଂଖ୍ୟ ହୃଦୟ

ଆପଣା ଭିତରେ କାନ୍ଦେ

ଡିମିରି ଫୁଲ ପରି ହୋଇ ।

ତେଣୁ ଆଜି ଏ ବାସନ୍ତୀ ଝଡ଼ର ମଧ୍ୟରେ

ଝରକାର ବାଟେ ଚାହେଁ, ମନେ ପଡ଼େ

ଆସନ୍ତା ଗ୍ରୀଷ୍ମକୁ ତା’ର ନୀଳ ନିମନ୍ତ୍ରଣ,

ତେବେ କ’ଣ

ନୈକାର ବିହାର ଲାଗି

ସେତେବେଳେ ସେ ହ୍ରଦରେ ଭରା ଥିବ

କାଚ କେନ୍ଦୁ ଜଳ,

ଅବା ବାଲୁଚର ?

Image

 

ନୂତନ ସ୍ୱର

 

ପଚାରିଲି ଯେତେଥର ଦୂର ଆକାଶର ତାରା

ପ୍ରଜାପତି, ଝରଣାମାନଙ୍କୁ

ତୁମେ କେବେ ପ୍ରେମରେ ପଶିଛ ?

ସମସ୍ତେ ମୋ’ ରାଣ ଖାଇ, ଜଗନ୍ନାଥ ମଥା ଛୁଇଁ

ମନା କଲେ ମଥା, ହଲାଇଲେ,

ଏପରିକି ମୋ’ ଆଗର ଧବଳ ଟଗର ସୁଦ୍ଧା

ଏଇ ମାତ୍ର ଚୁମା ଖାଇ

କହିଦେଲା, ସତ; କାଲି ରାତିରେ ଶୋଇଲା ବେଳେ

ଗାଲେ ରାଞ୍ଚୁଡ଼ିବା ଫଳେ ଏ ଦାଗ ଦିଶୁଛି

ମୁରୁକି ହସୁଛ କିଆଁ ମୁଁ କି ଆଉ କାହା ପରି ଚରିତ୍ର ହାରିଛି ।”

 

ପରସ୍ତେ ହସିଲି ଯେଣୁ ସମସ୍ତେ ଚାହାନ୍ତି ଖାଲି

ଆବରଣ ତଳେ ଲୁଚି ପ୍ରେମ କରିବାକୁ,

ସକାଳ ପାହିବା ଆଗୁଁ ଦେହ ଧୋଇ ସଫାଲୁଗା

ପିନ୍ଧି ନିଜ ଚରିତ୍ରର ଟେକ ରଖିବାକୁ ।

 

କେଉଁଠୁ ପାଇବି ତେବେ ବିଦଗ୍ଧ ପ୍ରଣୟ ସ୍ୱର

ପ୍ରୀତିବଦ୍ଧ କ୍ଷତର ସ୍ଵାକ୍ଷର,

କେଉଁଠୁ ପାଇବି ତେବେ ମଧୁର ଲୋତକ ଧାର

ପ୍ରୀତି ଘେନି ଝରେ ଯା ନିର୍ମଳ ?

 

ହେ ନବୀନୀ, ତେଣୁ ଆଜି ନିଜକୁ ବିମୁକ୍ତ କର

ନିଜକୁ ପ୍ରଶାନ୍ତ କର, ନିର୍ମଳ ସାଗରେ

ଡୁବି ମୁଁ ଖୋଜିବି ତୁମ ଗଭୀର ମନର ତଳେ

ମୁକ୍ତାର ଆଲୋକ କିଛି ଶାମୁକାର ଖୋଳେ ।

 

ପ୍ରେମ ଯେଣୁ ପାପ ନୁହେଁ,

ପ୍ରେମ ଘେନି ଭୁଲ ଯେତେ ଯାହା

ଅପରାଧ ନୁହେଁ କେବେ,

ଉଷା ସମ ସୂର୍ଯ୍ୟାଲୋକ ଛୁଆଁ ।

Image

 

କୋକିଳ ପ୍ରତି

 

ମଳୟର ସ୍ପର୍ଶେ ପୁଲକିତ

ହେ କୋକିଳ

ମୁକୁଳର ଗନ୍ଧେ ମୁଗ୍ଧା ପ୍ରିୟାରେ ମୋ’ ଯାଅ ଦେବ କହି

ରକ୍ତ ଆଉ ମାଂସ ସହ ଭଲପାଏ ଚିରଦିନ ତାକୁ

ଅନ୍ଧ ଆଜି ତାର ପ୍ରେମ ପାଇ ।

 

ତୁମେ ତାକୁ କହି ଦେବ,

ଜୀବନେ ମୁଁ ଜାଣିଅଛି ଯେତେ ନାରୀ

କ୍ଳିଓପେଟ୍ରା, ମମତାଜ, ଶତୀ, ମନ୍ଦୋଦରୀ

ସେମାନେ ମରି ମଧ୍ୟ ବଞ୍ଚିଛନ୍ତି

କାରଣ ସେ ସମସ୍ତେ ଦିନେ ଠିକ୍ ତାରି

ଅନ୍ଧକାର ପୁଲକିତ ନିର୍ଜନ ପ୍ରକୋଷ୍ଠେ

ପ୍ରଣୟୀର ବକ୍ଷତଳୁ

ଶୁଣିଥିଲେ ହୃତ୍‌ପିଣ୍ଡର ଘନ ଆଲୋଡ଼ନ ।

 

ତୁମେ ପୁଣି କାଲିପାଇଁ ମୋର ତରଫରୁ

ଆସିଥିବ କରି ନିମନ୍ତ୍ରଣ,

ତା’ ଚୁମ୍ବନେ ବିକ୍ଷତ ମୋ’ ଗଣ୍ଡ ଓ ଅଧର

ଆବେଗରେ ଅସହ୍ୟ ଥରୁଛି

ତାହାକୁହିଁ ଚାହେଁ ମାତ୍ର ସେ ଯନ୍ତ୍ରଣା ଉପଶମ ପାଇଁ

ମୁଁ ଚାହୁଁଛି ବଞ୍ଚିବାକୁ ତା’ର ରକ୍ତ ନେଇ ।

 

ସମାଜର ଭୟ ଅବା ସତୀତ୍ୱ ଚେତନା ଯଦି

ପରମାଣୁ ବିସ୍ଫୋରଣ ପରି

ଅଭିସାର ପଥେ ତାର ସୃଷ୍ଟିକରେ ବନ୍ଧନର ମେଘ,

ତେଣୁ ଦୁରେ ଅଶ୍ରୁତଳେ ଚାହେଁ ଯଦି ବଞ୍ଚାଇ ରଖିବ

ଗୋପନରେ ମୋର ପ୍ରେମ, ଅତୀତ ସମ୍ପଦ;

ତେବେ ତୁମେ ତାକୁ କହିଦେବ–

ତାହା ଖାଲି କିମ୍ବଦନ୍ତୀ, ପ୍ରତାରଣା । ସମୟ ଆସିବ

ନିଜେ ପୁଣି ଅନ୍ୟ ଏକ ପ୍ରେମିକର ଗର୍ଭବତୀ ହୋଇ

କୁହୁଡ଼ିଆ ସକାଳରେ ହଜିଗଲା ଦୂରପଥ ଭଳି

ଭୁଲି ଯାଇଥିବ ମୋତେ । ଶୀର୍ଣ୍ଣ ନଦୀଜଳେ

ଧୋଉଥିବ ହାତ ତା’ର, ବାଲିରେ ତା’ ଶିଶୁଟିକି

ଚିପି ପୋତି ସାରି ।

 

ଏଣୁ ଅନୁରୋଧ, ତା’କୁ ଆସିବ ଚେତାଇ

ପ୍ରଣୟର ଜୈତ୍ରୀ ନେଇ ପାରିହୋଇ ସମାଜର ସିଡ଼ି

କାଲିକି ଆସିବ ଏଥି ଏବଂ ଆସୁଥିବ ଏଇମିତି

ଚିରଦିନ ପାଇଁ,

କାରଣ ନର୍ମଳ ପ୍ରେମ ରକ୍ତ ଆଉ ମାଂସ ବିନା

କ୍ଷଣେ ହେଲେ ଏ ଜୀବନ ବଞ୍ଚି ପାରେ ନାହିଁ ।

Image

 

ଆଶ୍ଳେଷ

 

ଆଶ୍ଳେଷେ ଏତେ ଫୁଲ ଫୁଟେ ଦେହେ କାହୁଁ ଗୋ

ଗନ୍ଧ ଛୁଟେ ତା ଅଧୀରେ

ପରତେ ନ ଯାଏ ଏତେ ପୁଣି ଅଛି ମମତା

ଆମ ଦୁହିଁଙ୍କର ରୁଧିରେ ।

 

ଲୁହ ଢାଳିବାର କେତେ ମୁଁ ଦେଖିଛି

ଦେଖିଛି ତୁମର ହସ

କେତେ ଅଭିମାନ, ନିରାଶ ଚାହାଣୀ

ବୁକୁଜଳା ଦୀର୍ଘଶ୍ୱାସ,

ଦୂରେ ରହି କେତେ ପଢ଼ିଅଛି ପୁଣି

ତୁମ ମଧୁବୋଳା ଭାଷା

ଶେଯେ ଶୋଇରହି କେତେ କଳପନା

କେତେ ଝଲକିତ ଆଶା,

ହେଲେ ସୀମାହୀନ ପ୍ରେମର ମରୁରେ

ଏକ ଆଶ୍ଳେଷେ ତଳେ

ଜାଣିତ ନଥିଲି ଓଏସିସ୍ ଏକ

ଛପିଛି ଆତ୍ମଭୋଳେ ।

 

ଜାଣି ତ ନଥିଲି ଏତେକ ଦୀପ୍ତି

ଏତେକ ଶାନ୍ତି ପୁଣି

ଏତେ ଯେ ସୁରଭି ଏତେ ଯେ ଜୀବନ

ଦେଇପାରେ ତାହା ବୁଣି ।

 

ଏଣୁ ଆଜି ପ୍ରିୟା, ଏ ନୀଳ ରଜନୀ ପାହୁ ଗୋ

ଘନ ଆଶ୍ଳେଷେ ପରେ

କାନ ପାତି ଦୁହେଁ ଶୁଣିବା କିପରି ରକତେ

ଗୀତ ଉଠେ ଏକ ସ୍ୱରେ ।

Image

 

ଏକ ମୁହୂର୍ତ୍ତର ସଂଗୀତ

 

ଜୀବନରେ ଯାହା ଚାହେଁ ସେ କେବେ ପାଇଛି ?

କି ଲାଭ ଭାବିବା ତେଣୁ ? ମିଳିଯିବା ଆସ ।

ବର୍ତ୍ତମାନ ହେଉ ସତ୍ୟ, ଗତ ଲିଭୁ ଦୂରେ

ଭବଷ୍ୟତ ମିଥ୍ୟା ସଖି, ଛପିଛି ଅନ୍ଧାରେ ।

ଅଧିକାର ତୁମଠାରେ କିଛିନାହିଁ, ହେଲେ

ତୁମ ଦେହ ଫୁଲ ମୋତେ କରିଛି ପାଗଳ

ଆସ ମୁଁ ଗୋ ବନ୍ଧୀ ହୁଏ ତୁମ ପାଖୁଡ଼ାର

ଗାଅ ତୁମେ ଜୟଗୀତ ଏଇ ମୁହୂର୍ତ୍ତର ।

ସବୁରି ଜୀବନେ ଆସେ ଏଇ ଦୁର୍ବଳତା

ଦୁର୍ବଳତା ନୁହେଁ ଏତ ପବିତ୍ର ମୁହୂର୍ତ୍ତ

ମରମର ବୀଣା ତାରେ ଗୋଟିଏ ଝଙ୍କାର

ନୀଳରାତ୍ରି ଦେହେ ଏକ ଆଲୋକର ଧାର ।

ଏଇ ରାତ୍ରି ଏ ଅନ୍ଧାର ଆସିବ ଲେଉଟି

ଜୀବନରେ ବହୁଥର, ମାତ୍ର ଏଇ କ୍ଷଣ

ଆସିବ ନାହିଁତ ଆଉ, କହେ ସେଇ ପାଇଁ

ଶୋଷିନିଅ ପ୍ରାଣୁ ସବୁ ଅମୃତ ମୋ, ସହି ।

ଜୀବନର ସାଥି ଯିଏ ହୋଇ ପାରେ ନାହିଁ

ତାର ସାଥେ ଭେଟ କିପାଁ ଛାଏଁ ହୋଇଯାଏ

ଏଥି କି ରହସ୍ୟ ଅବା ପରୀକ୍ଷା କଠୋର

ପାରେ ନାହିଁ ବୁଝି, ଭାବି ପାଏ ନା ଉତ୍ତର ।

Image

 

ଆଲୋକର ସଂଗୀତ

 

ତୁମେ ତୁମ ଦେହର ଶାମୁକାକୁ

ଏଇ ମୋର ଦିଗନ୍ତ ବିସ୍ତୃତ, ସଙ୍ଗୀତ ମୂର୍ଚ୍ଛିତ

ଲୁଣି ଲୁଣି ଦେହର ସମୁଦ୍ର ମଧ୍ୟକୁ ଫିଙ୍ଗିଦିଅ,

କ୍ରମଶଃ ଗଭୀରରୁ ଗଭୀରତର

ପ୍ରଦେଶକୁ ଗତିକରି

ମୋ’ ମନର ପ୍ରଶାନ୍ତ ଘନନୀଳ

ଦ୍ୱାର ଦେଶରେ ଆଘାତ କର,

ତହିଁରେ ମୋ’ ମନର ଦ୍ୱାର ଖୋଲିଦେବି;

ଏବଂ କିଛି ବର୍ଷପରେ କୌଣସି ଏକ

ନିର୍ମଳ ପ୍ରଭାତରେ ନିଜକୁ ଚାହିଁ ଦେଖିବ

ତୁମ ଭିତରେ ନୂତନ ସୃଷ୍ଟି

ମୁକ୍ତାର ଉଜ୍ୱଳ ଆଲୋକ ।

Image

 

ବର୍ଷା

 

ମୁଁ ଜାଣିଛି,

ତୁମେ ଅଯାଚିତେ ବର୍ଷା ଭଳି

ଆପଣାକୁ ଆପେ ଉଜାଡ଼ କରି

ମୋତେ ଭଲପାଅ ।

 

ଏଥିପାଇଁ ମୁଁ ତୁମକୁ ଦୁର୍ଦ୍ଦିନ ବୋଲି

କେବେ କହିବିନି,

କାରଣ ତୁମେହିଁ ମୋ’ ଚାରି ପାଖେ

ନିରନ୍ଦ୍ର ବର୍ଷାର ପରଦା ଟାଣି

ମୋତେ ତପସ୍ୱୀ କରିଛ ।

 

ତେଣୁ ମୁଁ ଆଜି ଦେଖୁଛି

ଆପଣାର ଅନ୍ତର୍ଲୋକ

ସ୍ତିମିତ ବିନ୍ଦୁଏ ଆଲୋକ ।

Image

 

ରୂପାନ୍ତର

 

ଏତେ ଦିନ ସୂର୍ଯ୍ୟର ଝରଣା

ତୁମ ଆଉ ମୋ’ ପାଇଁ ଥିଲା ଶୁଭପ୍ରଦ ।

 

ଆଜି କିନ୍ତୁ ଆସ

ଯିବା ଦୂରେ ଅନ୍ଧକାର ସୁପବିତ୍ର ଦେଶ,

ତହିଁ ଏକ ନିର୍ଜନ ଉପକୂଳେ ବସି

ବିବସ୍ତ୍ର କରିବା ମନ, ଦେଖିବା ନିଜକୁ ।

 

ଆଲୋକ ଉତ୍ସବେ ଯେତେ କ୍ଷତ ଓ ଦହନ

ଯେତେ ଅବିଶ୍ଵାସ ପରସ୍ପର ପ୍ରତାରଣା

ଭୁଲ୍ ଆଉ ଭୁଲ୍‍ର ପୁଲକ

ମିଥ୍ୟା ଦୀର୍ଘଶ୍ଵାସ ତଳେ ଯେତେକ ସଫେଇ

ଘୃଣା ଓ ପ୍ରଣୟ ମିଶି ହୋଇଅଛି ଏକ ।

ଆଲୋକରେ ନ ଦିଶେ ଯା ଅନ୍ଧକାରେ ହସେ ।

 

ଏଣୁ ଆସ ସାଥି,

ଏଇ ଘନ ଅନ୍ଧକାରେ ଆପଣାକୁ ମାପି

ଉଲଗ୍ନ, ଜାନୁରେ ରଖି କଳଙ୍କିତ ମୁଖ

କାନ୍ଦିବା କାନ୍ଦିବା,

ଆଲୋକରେ ଜାଣି ଜାଣି ଜଳି ମରିବାଠୁଁ

ଅନ୍ଧକାର ଅଶ୍ରୁଢ଼ାଳି ନିର୍ମଳ ହୋଇବା;

ତା’ ପରେ ପରସ୍ପରେ ବକ୍ଷେ ବକ୍ଷ ଚାପି

ଅନୁଭବ କରିବା ସ୍ପନ୍ଦନ ।

 

ସେ ସ୍ପନ୍ଦନ ହୃତ୍‍ପିଣ୍ଡର

ସୁପବିତ୍ର ନୂତନ ପ୍ରେମର ।

Image

 

ଅବଗାହନ

 

ବହୁଦିନ ପରେ

ମେଘୁଆ ଆକାଶରେ ଇନ୍ଦ୍ରଧନୁ ଚମକେ ଯେମିତି

ତୁମେ ଦେଖା ଦେଲ,

ସାଗରର କୂଳେ କୂଳେ

ଅଧାଭିଜା, ମଧ୍ୟାହ୍ନ ବେଳାରେ ।

 

ମୋ’ କରୁଣ ଆଖିଶର ତୁମର ସେ ସିନ୍ଦୂରର ପ୍ରଦୀପ୍ତ ଶିଖାରେ

ଜଳିଗଲା ହୁତୁ ହୁତୁ,

ସତେ ଅବା ତୁମେ ମୋର ନିହାତି ଅଜଣା

ଜଳିଗଲା ସାତବର୍ଷ ଦୀର୍ଘ ଅତୀତର

ବହୁରଙ୍ଗ ସାଧନାର ଅସଂଖ୍ୟ ଯୋଜନା,

ଖାଲି ପ୍ରହେଳିକା

ଅବିଷ୍କାର କଲି ତୁମେ ଆଉ ମୋର ନୁହେଁ ଯେଣୁ

ପଢ଼ିଲି ମୁଁ ତମ ଦେହେ ମାତୃତ୍ୱ ଲିପିକା ।

 

ହେ ଜନନୀ

ଅପେକ୍ଷା ହିଁ କର

ଯାଏ ମୁଁ ସମୁଦ୍ରେ ସାରି ସ୍ନାନ, ରୂପାନ୍ତର,

ଆଣିବି ଗୋଟାଇ ତହୁଁ ଅଗଣିତ ତାରା

ଫେଣଫୁଲ, ଚିତ୍ରଭରା ଅଜସ୍ର ଶାମୁକା,

ପାଦତଳେ ପୂଜା ଦେଇ ଲେଖିବି ବସି ମୁଁ ଆଜି

ଏ ଜୀବନେ ପ୍ରଣୟର ନୂତନ ଭୂମିକା ।

Image

 

ଅଣବାହୁଡ଼ା ପ୍ରତି

 

କୋଇଲିର ପୂଜା ଏବେ ସରିଗଲା ମୋର ।

ଢଳ ଢଳ କମନୀୟ କାଇଁଚର ଆଖିତାର

ସତେ ଆଉ ଦେଖିବିନି ? ତାହାରି ଡେଣାରେ

ବୋଳିବିନି ଆଉ ରଙ୍ଗ ? ତାରପାଦ ତଳେ

ବାଢ଼ିବିନି ସଜ ଫୁଲ ବରୁଣ, ପଳାସ ?

ହାହାକାରେ ନିଜେ ଆଜି

ବୋହିଚାଲେ ମୋ’ କାନ୍ଧରେ ତାକୁ

ଏବଂ ଓଜନିଆ ଛତୁଆର ଭାର,

ପୁଣି ସେମାନେ ଏବେ ଯିଏ କୋଇଲି ଛାଡ଼ିବା ପାଇଁ

ଜୋର କରି ମୃଦଙ୍ଗ ଓ ଝାଞ୍ଜ ପିଟୁଛନ୍ତି

ସେମାନଙ୍କ ସଙ୍ଗେ ମିଛ ହସ ଓଠରେ ଫୁଟାଇ

ବଉଳଝରା ଏକ ମେଘଛୁଆଁ ସହକାର ଡାଳେ

ଯତରେ ତାହାକୁ ବସାଇ

ପଦତଳେ ନୟନର ଶେଷ ବିନ୍ଦୁ, ଲୁହ ଢାଳି

ଫେରି ମୁଁ ଆସିବି ।

 

ହେ କୋଇଲି, ହେ ସୁନ୍ଦର; ହେ ଅଣବାହୁଡ଼ା,

ତୁମକୁ ରଖିବା ଲାଗି ଆଜୀବନ ପ୍ରାଣେ ମୋର

କେତେମତେ ପୂଜା କଲି, କେତେ ନିଷ୍ଠା ଓପାସ ବି କଲି

ମୋ’ କାନକୁ ଯେତେ ଫୁଲ ଅର୍ଘ୍ୟ ଦେଇ ଆବେଗରେ

ପାଦ ଦୁଇ କୁଣ୍ଢାଇ ଧରିଲି,

 

ତୁମେ ଶେଷ ତ୍ୟାଗ କଲ, ତୁମେ କେଡ଼େ ଅବିଚାର କଲ

ତୁମକୁ ଛାଡ଼ିବା ପାଇଁ ର କାନ୍ଧବି ତୁମକୁ ବୋହିଲା !

 

କେମିତି ବା ବୁଝାଇବି, ହେ କୋଇଲି,

ଆଜି କେତେ ହେଲି ମୂଲ୍ୟହୀନ,

ରଙ୍ଗ ଦେବା ପାଇଁ ମୁଁହିଁ ତୁମରି ସେ

ଡେଣାର ପ୍ରଥମ

ଯେ ତୁଳୀଟି ଧରିଥିଲି

ତାକୁ ଘେନି କେତେ ବିନ୍ଦୁ କେତେ ରେଖା

କେତେ ରଙ୍ଗ ବୋଳି

ଭାବିଥିଲି ଆକାଶ ଓ ଧରିତ୍ରୀର ପଟ୍ଟରେ

ଆକାଶ ଓ ଧରିତ୍ରୀର ମଧ୍ୟଭାଗ

ଏ ଶୂନ୍ୟ ଗର୍ଭରେ

ଚିତ୍ର କେତେ ଆଙ୍କିଯିବି, ଜୀବନ୍ୟାସ ଦେବି;

ତୁମେ କିନ୍ତୁ ଚାଲିଗଲ ପୁଣି ତୁମ ସାଥେ ସାଥେ

ତୁମ ପକ୍ଷ, ତୁମ ଥଣ୍ଟ ତୁମ କଣ୍ଠ ତୁମ ଆଖି ସବୁ ହଜିଗଲା

ଏବଂ ହଜିଗଲା

ମୋ ତୂଳୀର ଛଳଛଳ ପ୍ରଥମ ପ୍ରେରଣା ।

 

ହେ କୋଇଲି, ହେ ସୁନ୍ଦର, ହେ ରୁକୁଣା ରଥ,

ଏ ଯାଏଁ ତ ସବୁକାମ ଅପୂର୍ଣ୍ଣ ରହିଲା

ଆଜି ପୁଣି ବିଦାୟ ବେଳାରେ

ତୁମେ କିଛି କହୁନାହଁ,

ଚିରଞ୍ଜିବୀ ହେବା ପାଇଁ ସୁଖୀ ହେବା ପାଇଁ

କିଏ ତେବେ ବାଟ ମୋତେ ଦେଖାଇବ କହ ?

Image

 

ଲେଉଟାଣୀ ଲୁହଲେଖ

 

ତଥାପି ଗୋ ତୁମ ଦେହେ, ତୁମ ମନ, ତୁମ ଗଛ ଫୁଲ ଓ ପତରେ

ମୋ’ ସ୍ଵାକ୍ଷର, ମୋ’ ଚୁମ୍ବନ, ମୋ’ ଆଙ୍ଗୁଳି ଚିହ୍ନ ଯେତେ

ଜଳୁଅଛି ଜକଜକ । ତୁମ ନଗ୍ର, ହାଟ ଓ ବଜାରେ

ମୋର ଭାଷା ଅନିର୍ବାଣ, ମୋ’ ଚଳଣି ସବୁହିଁ ସୁସ୍ପଷ୍ଟ ।

କେମିତି ପାଶେରି ଦେବି, ତୁମ ଶାଳବଣ ଛାୟାତଳେ

ମାଦଳର ମିଠାତାଳ, ଶଗଡ଼ିଆ କରୁଣ ବଇଁଶୀ

ନୀଳ ନୀଳ ଧାନକ୍ଷେତେ ଝରିପଡ଼ା ମହୁଲର ଫୁଲ

ରବିବାର ଗୀର୍ଜାଘଣ୍ଟା, ଉଳୁଉଳୁ ଗୀତ ନଈଟିର ?

ନିଜେପରା ଡାକିଥିଲ କେତେ ରାଣ ନିୟମ ପକାଇ

ସବୁ ଶେଷେ ଭୁଲିଗଲ ତୁମଠାରେ ପହଞ୍ଚିଲା ପରେ,

ପ୍ରେମ ଅବା ତୁମ ମତେ ସୋଲଡଙ୍ଗା କାର୍ତ୍ତିକ ସକାଳେ

ଭସାଇବା ପରେ ତାକୁ ଭୁଲିଯାଅ ଅତି ନିର୍ବିକାରେ ?

ତେଣୁ ମୁଁ ଯାଉଛି ଫେରି ଚିହ୍ନି ଚିହ୍ନି ମୋ’ ଆସିଲା ବାଟ

ଜାଣେ ବି ଆସିବ ନାହିଁ ଏ ଅନ୍ଧାରେ ବାଟେଇ ଦେବାକୁ,

ଯଥେଷ୍ଟ ଆଲୋକ ଅଛି ଆକାଶର ତାରାରେ ତାରାରେ

ପହଞ୍ଚି ପାରିବି ନିଶ୍ଚେ ଘରେ ମୋର ଆସନ୍ତା ସକାଳେ ।

 

ଏକାକୀ

 

ଟ୍ରେନ ଚାଲିଗଲା ପରେ

ତା’ ପଛର ଲାଲବତୀ ଚାହିଁ

ନିର୍ଜନ ପ୍ଳାଟଫର୍ମର ଦୀର୍ଘ ଚଟାଣରେ

କ୍ଳାନ୍ତ ପାଦ ଘୋଷାରି ଘୋଷାରି ଫେରି

ଆସିବା ଭଳି ମୁଁ ଫେରୁଥିଲି

ତୁମରି ଦୁଆରୁ ।

 

ସେତେବେଳେ ଘୂର୍ଣିଝଡ଼ ଆକାଶକୁ ଛୁଇଁ

ଅବିଶ୍ରାନ୍ତ ଘୁରୁଥିଲା ଚଉପାଶେ ମୋର

ଏବଂ ତୁମ କଥା ବାରମ୍ବାର କହୁଥିଲା

ବର୍ଷ କେତେ ବିନ୍ଦୁ

ମୋ’ ଆଖିର ଲୁହ ହୋଇ

ଝରି ଯାଉଥିଲା ।

 

ମଣିଷର ଦେହ ଝରେ, କିନ୍ତୁ ତା’ ଆଗରୁ

ମନ ପୁଣି ଝରିଯାଏ ଏଡ଼ିକି ସଜଜେ ?

କାଲି ମୁଁ ଯାହାକୁ ଆପଣାର କରିଥିଲି

ଆଜି ସିଏ ଚାଲିଗଲା ନ ଜଣାଇ ନିଜେ ।

 

କି ଲାଭ ତେଣୁ ପ୍ରେମ ସହ ଯୋଡ଼ିବାରେ,

କି ଲାଭ ତେଣୁ କା’ର ବାଟ ଚାହିଁବାରେ ?

ଏ ଦୁରନ୍ତ ପୃଥିବୀରେ

ଏକାକୀ ମୁଁ

ନିୟତ ଏକାକୀ ।

Image

 

ପୁନରୁତ୍‍ଥାନ ପରେ

 

ହେ ମୋର ଅତୀତର ମନର ମାନବୀଗଣ,

ଯେଉଁମାନେ ହସି ମୋର ରକ୍ତ ଆଉ ମାଂସ ନେଇ

ବଣଭୋଜୀ କରୁଥିଲ କେଉଁ ଏକ ବର୍ଷାଝରା

ନିର୍ଜ୍ଜନ ରାତିରେ ଅବା ଛାୟାହୀନ ଦୋଳଜହ୍ନ ତଳେ,

ତୁମେ ସବୁ ଏବେ ଆସ, ଏଇ ମୂହୁର୍ତ୍ତରେ

ମେଳବାନ୍ଧି ଲାଗିଆସି; ଭଲ କରି ଦେଖ

ମୃତ୍ୟୁର ନାହୁଡ଼ ଭାଙ୍ଗି ତୁମର ମନର କବରୁ

ଆଉଥରେ ଉଠିଛି ମୁଁ ।

 

ଭୟନାହିଁ, ଭୂତ ନୁହେଁ, ଡରନାହିଁ, ଚାହଁ,

ମୁହିଁ ପରା ତୁମରି ସେ ଅତୀତର

ମନର ମଣିଷ ।

 

ଅବିଶ୍ୱାସୀ ଦଳ, ସ୍ପର୍ଶକର ଦେଖ,

ଏଇ ମୋର ଓଷ୍ଠ, ଗଣ୍ଡ, ପ୍ରଶସ୍ତ ବକ୍ଷରେ

ତୁମରି ଦନ୍ତର କ୍ଷତ, ତୁମରି ନଖର ଚିହ୍ନ

ତୁମ କୁଙ୍କୁମର ଦାଗ ସେମିତି ଅଲିଭା ।

 

କି କଥା ଭାବୁଛ ଆଉ ? ନିର୍ଭୟରେ

ଆଉ ଥରେ ପଶ

ଉଇଲଗା ଜୀର୍ଣ୍ଣଦ୍ୱାର ମେଲି ଧୀରେ ପଶ,

ନୀରବ ଅଣାକାର ଅନ୍ଧାରି ପ୍ରାଣର ମନ୍ଦିରେ

ତଥାପି ଜଳୁଛି ଦୀପ, ବ୍ୟଥାହତ କେତେ ଗୋଟି ଦୀପ,

ଜଳୁଅଛି ଦିକି ଦିକି, ଅନିର୍ବାଣ ଶୁଭଙ୍କରୀ ଶିଖା ।

 

ହେ ମୋର ଅତୀତର ପ୍ରେମିକାର ଦଳ,

ତୁମେ ଯେତେ ଭଲପାଇ ମୋତେ ଶେଷେ ହତ୍ୟାକଲ

ପୁଣି ନିଜେ ମୁଁ ଉଠିବା ପରେ ମୋତେ ଛୁଇଁ ବିଶ୍ୱାସ ଭରିଲ

ତଥାପି ଭରସା ମୋର ଦିନେହେଲେ ତୁମରି କଣ୍ଠରେ

ମୋ’ ତ୍ୟାଗର ଓଁକାର ଉର୍ଦ୍ଧ୍ୱକୁ ଉଠିବ,

ଏ ମଞ୍ଚରୁ ଡାଳ ମୋର ସ୍ଵର୍ଗକୁ ଲାଗିବ ।

Image

 

ମୃତ୍ୟୁପରେ

 

ଏ ମୋର ଧୂସର ବକ୍ଷ ବିଦାରି ବିଦାରି

ତୁମରି ସେ ପ୍ରଥମ ଅଙ୍କୁରେ

ଜାଗ ତୁମେ ଧୀରେ

ହେ ମୋର ଅରଣ୍ୟାମୀ, ନୂତନ ଦୀପ୍ତିରେ ।

 

ସୂର୍ଯ୍ୟ-ସାଧନାରୁ ପ୍ରାପ୍ତ ମୋ’ ଦେହରୁ ଯେତେକ ଅମୃତ

ଯେତେ କିଛି ରସ ଆଉ ଯେତେକ ଉତ୍ତାପ

ଏବଂ ସବୁକିଛି ଲୋଟିନେଇ ପ୍ରତି ପ୍ରଭାତରେ

ତୁମେ ହସ ନୂଆ ନୂଆ ପତ୍ର ଆଉ ପୁଷ୍ପର ସମ୍ଭାରେ ।

 

ସୁରଭିତ ହେଉ ମୋର ପ୍ରତି ଧୂଳିକଣା

ଗୁଞ୍ଜରିତ ହେଉ ମୋର ବିବକ୍ତ ଜୀବନ

ଏବଂ ଶେଷେ ମୋର ପ୍ରୀତି ପ୍ରସାରିତ ବକ୍ଷ ତଳେ

ଆପଣାକୁ ସମର୍ପଣ କର,

ମୁଁ ତୁମକୁ ନିବିଡ଼ରେ ଚାପିଧରି ହତ୍ୟାକରି ବହୁ ବର୍ଷପରେ

ଆଜିର ନୀଳନୀଳ ପତ୍ର, ଶାଖା, ପ୍ରତ୍ୟେକ ଲତାରେ

ପରିଣତ କରାଇବି ଜଳିଲା ଜଳିଲା ସ୍ଵଚ୍ଛ ହୀରା ବିଭବରେ ।

 

ପ୍ରେମ ଯେଣୁ ମରେ ନାହିଁ

ପ୍ରେମିକର ବକ୍ଷତଳେ ପ୍ରିୟାଗଲେ ମରି

ସହସ୍ର ବର୍ଷପରେ ପ୍ରେମ ତାକୁ ବଞ୍ଚାଇବ ପୁଣି ନୂଆକରି ।

Image

 

ସକାଳ

 

ସକାଳର ପବନରେ

ଗୀର୍ଜା ଓ ମନ୍ଦିରର ଘଣ୍ଟାଧ୍ୱନି

ଆଲ୍ଲାହୋ ଆକ୍‍ବର୍‍ର ଅବିର ।

 

ଅବ୍ୟକ୍ତ ଆନନ୍ଦରେ

ମୁଁ କବାଟ ଫିଟାଇଲି, ଦେଖିଲି

ସବୁଜ ଘାସରେ କାକରର ଆଶ୍ଚର୍ଯ୍ୟ ତାରକସି

ଏବଂ ତା’ ଉପରେ ମସ୍ତକରୁ ବିଚ୍ଛିନ୍ନ

ଏକ ସଦ୍ୟ ରକ୍ତାକ୍ତ ଗୁଣ୍ଡୁଚିର ଶବ ।

 

ଓଃ !

ମୁଁ ଜୋର୍‍ରେ କବାଟ ବନ୍ଦ କରିଦେଲି ।

Image